Unknown

 

 

 

 

 

 

 

 

 

ଶିଶୁବୋଧ

ଭକ୍ତକବି ମଧୁସୂଦନ ରାଓ

 

ସୂଚୀପତ୍ର

 

୧.

ସକାଳ ଓ ଦିନ

୨.

ସନ୍ଧ୍ୟା ଓ ରାତ୍ରି

୩.

କହ କହ ମୋର ନାମ ବହନ

୪.

ଗୋଟିଏ ଚଢ଼େଇ ତା ଛୁଆକୁ ଖୁଆଉଅଛି

୫.

ହରିହର

୬.

ଅମୀର୍‌

୭.

ସିଂହ ଓ ମୂଷା

୮.

ବେଙ୍ଗ ଓ ପିଲାମାନେ

୯.

ଗ୍ରାମ (୧)

୧୦.

ଗ୍ରାମ (୨)

୧୧.

ଗ୍ରାମ (୩)

୧୨.

ହାତୀ ଓ ବିଲୁଆ

୧୩.

ଧାନକ୍ଷେତ

୧୪.

ମୂଷା, ବେଙ୍ଗ ଓ ଛଞ୍ଚାଣ କଥା

୧୫.

ବରଗଛ

୧୬.

ଗୋରୁ

୧୭.

ହାଟ

୧୮.

ମିଛୁଆକୁ କେହି ବିଶ୍ୱାସ କରନ୍ତି ନାହିଁ

୧୯.

ତିନୋଟି ବାଳକ

୨୦.

ବେଙ୍ଗରଜା

୨୧.

ଆଶ୍ଚର୍ଯ୍ୟ ଖଜୁରିଗଛ

୨୨.

ଚାଟଶାଳୀ ମେଲାଣି

୨୩.

ଗୀତ

Image

 

ସକାଳ ଓ ଦିନ

Mountain Morning Photograph by Doug McPherson

ସକାଳ ହେଲାଣି । ଅନ୍ଧାର ଆଉ ନାହିଁ । ରାତିବେଳେ ଘର, ବଗିଚା, ବିଲ, ପୋଖରୀ, ନଦୀ, ପର୍ବତ, ବନ ସବୁ ଅନ୍ଧାରରେ ଲୁଚି ରହିଥିଲା । ଏବେ ପୂର୍ବ ଦିଗରେ ସୂର୍ଯ୍ୟ ଉଇଁଲାଣି । ଦେଖୁଁ ଦେଖୁଁ ସୂର୍ଯ୍ୟର ଆଲୁଅ ଚାରିଆଡ଼େ ମାଡ଼ିଯାଉଅଛି । ଏବେ ଆମ୍ଭେ ସବୁ ଭଲକରି ଦେଖିପାରୁଅଛୁ । ସୁର୍ଯ୍ୟ ଧୀରେ ଧୀରେ ଉପରକୁ ଉଠି ମୁଣ୍ଡଉପରକୁ ଆସିଲେ ଦିନ ଦ୍ୱିପ୍ରହର ହେବ-। ଦ୍ୱିପ୍ରହର ଗଡ଼ିଗଲେ ସୂର୍ଯ୍ୟ ଧୀରେ ଧୀରେ ତଳକୁ ଖସି ପଶ୍ଚିମ ଦିଗରେ ବୁଡ଼ିଗଲେ ଦିନ ଶେଷ ହେବ । ସୂର୍ଯ୍ୟର ଆଲୁଅ ଯୋଗୁଁ ଦିନ ହୁଏ । ସେଥିପାଇଁ ସୂର୍ଯ୍ୟକୁ ଦିନକର ବୋଲାଯାଏ । ଦିନବେଳେ ପଶୁପକ୍ଷୀ ଆହାର ଖୋଜି ବୁଲନ୍ତି ଓ ମନୁଷ୍ୟମାନେ ନିଜ ନିଜ କାମରେ ଲାଗନ୍ତି ।

Image

 

ସନ୍ଧ୍ୟା ଓ ରାତ୍ରି

Image

 

ଦେଖ, ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡ଼ିଯାଉଅଛି । ଏତେବେଳେ ତାହାର ତେଜ କମିଯାଇଅଛି । ସେ କି ସୁନ୍ଦର ଲାଲ ଦିଶୁଅଛି । ସୂର୍ଯ୍ୟର ଅସ୍ତ ସମୟକୁ ସନ୍ଧ୍ୟା ବୋଲାଯାଏ । ଦେଖୁ ଦେଖୁ ଅନ୍ଧାର ମାଡ଼ିଆସୁଅଛି । ଆକାଶରେ ଗୋଟି ଗୋଟି ହୋଇ କେତେ ଉଇଁ ଆସୁଅଛନ୍ତି-। ଏବେ ରାତ୍ରି ହେଲାଣି-। ରାତିବେଳେ ମନୁଷ୍ୟ, ପଶୁ, ପକ୍ଷୀ ସମସ୍ତେ ନିଦରେ ଶୁଅନ୍ତି-। କେତେକ ରାତ୍ରିରେ ଚନ୍ଦ୍ର ସଞ୍ଜବେଳୁଁ ଆକାଶରେ ଦେଖାଯାଏ । ସେହିସବୁ ରାତ୍ରିକୁ ଶୁକ୍ଳପକ୍ଷର ରାତ୍ରି ବୋଲାଯାଏ । କେତେକ ରାତ୍ରିରେ ଚନ୍ଦ୍ର ସନ୍ଧ୍ୟାବେଳେ ଦେଖାଯାଏ ନାହିଁ । ସେହିସବୁ ରାତ୍ରିକୁ କୃଷ୍ଣପକ୍ଷର ରାତ୍ରି ବୋଲାଯାଏ । ଶୁକ୍ଳପକ୍ଷରେ ଚନ୍ଦ୍ର ଦିନକୁ ଦିନ ବଢ଼ିବାର ଦେଖାଯାଏ । କୃଷ୍ଣପକ୍ଷ ରାତ୍ରିରେ ଚନ୍ଦ୍ର ଦିନକୁ ଦିନ ଛିଡ଼ିବାର ଦେଖାଯାଏ । ପୂର୍ଣ୍ଣିମା ରାତ୍ରିରେ ଚନ୍ଦ୍ର ପୂରା ଗୋଲ ଦିଶେ । ଅମାବାସ୍ୟା ରାତ୍ରିରେ ଚନ୍ଦ୍ର ଏକାବେଳକେ ଅଦୃଶ୍ୟ ହୋଇଯାଏ ।

 

ଚନ୍ଦ୍ରର ଆଲୁଅ କି ସୁନ୍ଦର ! ଚନ୍ଦ୍ର ଆଡ଼କୁ ଅନାଇ କ୍ଷୁଦ୍ର ଶିଶୁମାନେ ଆନନ୍ଦରେ ହସନ୍ତି, ‘ଆ ଜହ୍ନମାମୁ ଆ’ ବୋଲି ଡାକନ୍ତି ।

Image

 

କହ କହ ମୋର ନାମ ବହନ

 

ନିତି ନିତି ପୂର୍ବ ଦିଗରେ ଉଇଁ,

 

ସମସ୍ତ ଆକାଶ ବୁଲଇ ମୁହିଁ

ଅନ୍ଧାର ପଳାଏ ମୋର ଉଦୟେ,

 

ପେଚକ ଲୁଚଇ ମୋହରି ଭୟେ

ମୁଁ ଜାଗିଲେ ଜାଗ ତୁମ୍ଭେ ସକଳେ,

 

ନ ଚିହ୍ନଇ ମୋତେ କେ ଭୂମଣ୍ଡଳେ ?

 

ପାଇ ମୋ ଆଲୁଅ ମୋହରି ତେଜ,

 

ସଂସାର ଉଜ୍ଜ୍ୱଳ ଦିଶଇ, ହେଜ

କେ ମୋର ତେଜକୁ ପାରିବ ସହି ?

 

ମୁଁ ସବୁ ଜଗତ ପାରଇ ଦହି

ଜଳେ ସ୍ଥଳେ ପଡ଼େ ମୋର କିରଣ,

 

ଉଜ୍ଜ୍ୱଳ ସୁନ୍ଦର ଦିଶେ ଭୁବନ

ମୋ ଲାଗି ବଢ଼ନ୍ତି ତରୁଲତାଏ,

 

ସରୋବରେ ପଦ କି ଶୋଭା ପାଏ !

 

ପଶୁ ପକ୍ଷୀ କୀଟ ପତଙ୍ଗଗଣ

 

ମୋ ଯୋଗୁଁ କରନ୍ତି ପ୍ରାଣ ଧାରଣ

ଦେଖିଅଛ ମୋତେ ହେ ଶିଶୁଗଣ,

 

କହ ତେବେ ମୋର ନାମ ବହନ

Image

 

ଗୋଟିଏ ଚଢ଼େଇ ତା ଛୁଆକୁ ଖୁଆଉଅଛି

Image

 

-

ମା, ମୁଁ ଏଇକ୍ଷଣି ଗୋଟାଏ ବଡ଼ କୌତୁକ ଦେଖିଲି ।

 

 

-

କଅଣ ଦେଖିଲୁ ରେ ଧନ ?

 

 

-

ଗୋଟିଏ ଛୁଆଚଢ଼େଇ ମୁଢ଼ି ଖାଇଲା ।

 

 

-

ତୁ କ’ଣ ଦେଖିନାହୁଁ, କେତେ ଚଢ଼େଇ ଏଣେତେଣେ ବୁଲୁଥାନ୍ତି, ଖାଇବା ଦରବ ପାଇଲେ ଥଣ୍ଟରେ ଖୁଣ୍ଟି ଖା’ନ୍ତି ।

 

 

-

ହଁ, ତା ଦେଖିଛି ଯେ, ଏଇକ୍ଷଣି ଗୋଟାଏ ନୂଆ କଥା ଦେଖିଲି ।

 

 

-

କଅଣ ନୂଆ ଦେଖିଲୁ, କହ ?

 

 

-

ମୁଁ ଆମର ଦୁଆରଆଗରେ ମୋ ଖାଇବା ମୁଢ଼ିରୁ ଗଣ୍ଡାଏ ପକାଇ ଦେଇଥିଲି । ଗୋଟିଏ ଘରଚଟିଆ ଚଢ଼େଇ ଉଡ଼ିଆସି ଥଣ୍ଟରେ ଗୋଟିଏ ମୁଢ଼ି ଖୁଣ୍ଟି ନେଲା । ଉଡ଼ିଯାଇ ପାଚେରି ଉପରେ ଗୋଟିଏ ଛୁଆ ଚଢ଼େଇ ବସିଥିଲା, ବଡ ଚଢ଼େଇ ପାଖକୁ ଗଲା । ଛୁଆ ଚଢ଼େଇଟି ଥଣ୍ଟ ମେଲା କରିଦେଲା, ଆଉ ବଡ଼ ଚଢ଼େଇଟି ସେହି ମେଲା ଥଣ୍ଟ ଭିତରକୁ ମୁଢ଼ିଟି ଗଳାଇଦେଲା । ବଡ଼ ଚଢ଼େଇଟି ଏହିପରି ଥରକୁଥର ମୁଢ଼ି ଥଣ୍ଟରେ ନେଇଯାଇ ଛୁଆକୁ ଖୁଆଇଲା ।

 

 

 

ତା ଦେଇ ଆରେ ଧନ, ଖୁସି ତୋହର ମନ ।

 

ତୋ ହସହସ ମୁଖ, ଦେଖି ମୋହର ସୁଖ ।

Image

 

ହରିହର

 

ଆମ୍ଭ ଗ୍ରାମରେ ହରିହର ନାମରେ ଗୋଟିଏ ଭଲ ପିଲା ଅଛି । ତାହାର ବୟସ ୯ ବର୍ଷ-। ସମସ୍ତେ ତାହାକୁ ଭଲ କହନ୍ତି । ମୁଁ ଦିନେ ତାଙ୍କ ଘରକୁ ଯାଇଥିଲି । ତାହାର ପିତା ଆଖଣ୍ଡଳ ମିଶ୍ର ଘର ପିଣ୍ଡାରେ ବସିଥିଲେ । ମୁଁ ସେଠାକୁ ଗଲାରୁ ସେ ମୋତେ ଆଦର କରି ବସାଇଲେ । ମୁଁ ଦେଖିଲି ଯେ, ସେହି ପିଣ୍ଡାର ଡାହାଣକୁ ବାଡ଼ଦିଆ ଚଉକୋଣିଆ ଖଣ୍ଡେ ଜମି ଅଛି ଓ ସେହି ଜମିରେ ବାଡ଼ିଅଁଳା, ମନ୍ଦାର, ମଲ୍ଲୀ, ଯୂଇ, ନିଆଳି, ଅପରାଜିତା, ତୁଳସୀ ଆଦି କେତେଗୁଡ଼ିଏ ଗଛ ଲାଗିଅଛି । ମୁଁ କହିଲି, ମିଶ୍ରେ, ତୁମ୍ଭର ଏହି ସାନ ବଗିଚାଟି ସୁନ୍ଦର ହୋଇଅଛି । ମିଶ୍ରେ କହିଲେ, ହରିହର ତାକୁ ନିଜ ହାତରେ କରିଅଛି । ସେ ପ୍ରତିଦିନ ଗଛମୂଳେ ପାଣି ଦିଏ, ଜାଗାଟି ଓଳେଇଦିଏ ଓ ଅନାବନା ଘାସ ଉଠିଲେ ଉପାଡ଼ିଦିଏ । ମୁଁ କହିଲି, ହରିହର କାହିଁ ? ମିଶ୍ରେ ତାହାକୁ ଡାକିବାରୁ ସେ ଘର ଭିତରୁ ଆସି ମୋତେ ଦେଖି ନମ୍ରଭାବରେ ନମସ୍କାର କଲା । ମୁଁ ତାକୁ ଦୁଇ ତିନୋଟି ତୁଣ୍ଡଅଙ୍କ ପଚାରିଲି । ସେ ଠିକ୍‌ ଉତ୍ତର ଦେଲା । ମିଶ୍ରେ କହିଲେ, ‘‘ତୁହି ମା ଜନମଭୂମି’’ ଗୀତଟି ଗା-। ସେ ମଧୁର ସ୍ୱରରେ ଗୀତଟି ଗାଇଲା । ମୁଁ ତାହାର ହସ୍ତାକ୍ଷର ମଧ୍ୟ ଦେଖିଲି । ଲେଖା ବହିଟି ନିର୍ମଳ । ଟିକିଏ ସୁଦ୍ଧା କାଳିର ଦାଗ ନାହିଁ । ଅକ୍ଷରଗୁଡ଼ିକ ମୁକ୍ତାପରି ସୁନ୍ଦର । ମୁଁ ହରିହରକୁ ଦେଖି ବଡ଼ ଖୁସି ହେଲି ଏବଂ ଘରକୁ ଆସି ତା’ ପାଇଁ ଖଣ୍ଡେ ରାମାୟଣ ପୁସ୍ତକ ଓ ଦୁଇଟି ଗୋଲାବ ଗଛ ପଠାଇଦେଲି ।

Image

 

ଅମୀର୍‌

 

ଜମୀର୍‌ ମିଆଁଙ୍କ ପୁଅ ଅମୀର୍‌ ବଡ଼ ଭଲ ପିଲା । ତାହାର ପିତାମାତା ଯାହା କରିବାକୁ କୁହନ୍ତି, ସେ ତାହା କରେ । ସେମାନେ ଯାହା ମନା କରନ୍ତି, ସେ କରେ ନାହିଁ ।

 

ସେ ସବୁବେଳେ ସଫାସୁତରା ରହିବାକୁ ଭଲ ପାଏ । ତାହାର ଦେହ ଟିକିଏ କୋତ୍ରା ହେଲାକ୍ଷଣି ସେ ତାହା ସଫାକରେ । ସେ ସକାଳୁ ଉଠି ମୁହଁହାତ ଭଲରୂପେ ଧୁଏ । ଗାଧୋଇବାବେଳେ ସେ ଦେହର ସର୍ବାଙ୍ଗ ଉତ୍ତମରୂପେ ଘଷି ସଫା କରେ ।

 

ସେ ପ୍ରତିଦିନ ପାଠଶାଳାକୁ ଯାଏ । ସେ କେବେ ଉଛୁର କରେନାହିଁ । ସେ ପାଠଶାଳାରେ ପାଟି କରେ ନାହିଁ । ଶିକ୍ଷକ ମହାଶୟ ପଢ଼ାଇଲାବେଳେ ସେ ଅନ୍ୟସଙ୍ଗରେ କଥା କହେନାହିଁ । ସେ ମନ ଦେଇ ତାହାର ପାଠଗୁଡ଼ିକ ଶିଖେ । ସେ ପ୍ରତିଦିନ ଯତ୍ନକରି ହସ୍ତାକ୍ଷର ଲେଖେ । ସେ ପୁସ୍ତକ, ସ୍ଲେଟ, ଦୁଆତ, କଲମ, ପେନ୍‌ସିଲ, ଲୁଗା, ଜୋତା ପ୍ରଭୃତି ତାହାର ସବୁ ଦ୍ରବ୍ୟ ଯେଝା ସ୍ଥାନରେ ସଜାଡ଼ି ରଖେ ।

Image

 

ସିଂହ ଓ ମୂଷା

Image

 

ଗୋଟାଏ ସିଂହ ଖରାରେ ବୁଲିବୁଲି ଥକା ହୋଇ ଗୋଟିଏ ଗଛମୂଳରେ ଶୋଇଥିଲା । ସେହି ସମୟରେ ଗୋଟିଏ ମୂଷା ସେହି ବାଟରେ ଯାଉଁ ଯାଉଁ ଅଜାଣତରେ ସିଂହ ଉପରେ ଚଢ଼ିଗଲା । ସିଂହର ନିଦ ଭାଙ୍ଗିଗଲା ଓ ସେ କ୍ରୋଧରେ ମୂଷାକୁ ମାରିପକାଇବାକୁ ବସିଲା । ମୂଷା ଭୟରେ ଥରି ଥରି କହିଲା, ‘ହେ ପ୍ରଭୁ, କ୍ଷମାକର, ମୋତେ ମାରନାହିଁ ।’ ସିଂହ ଦୟାରେ ମୂଷାକୁ ଛାଡ଼ିଦେଲା ।

 

କିଛିକାଳ ପରେ ସିଂହ ଦିନେ ବନରେ ବୁଲୁ ବୁଲୁ ଶବର-ଜାଲରେ ପଡ଼ି ଘୋର ରଡ଼ିକଲା । ମୂଷା ସେହି ଶବ୍ଦ ଶୁଣି ଶୀଘ୍ର ସେଠାକୁ ଆସି ତାହାର ପ୍ରାଣଦାତା ସିଂହ ଯେଉଁ ଜାଲରେ ପଡ଼ିଥିଲା, ସେହି ଜାଲକୁ ତୀକ୍ଷ୍‌ଣ ଦନ୍ତରେ କାଟିପକାଇଲା । ସିଂହ ଜାଲରୁ ମୁକୁଳିଗଲା ।

Image

 

ବେଙ୍ଗ ଓ ପିଲାମାନେ

Image

 

ଦିନକରେ କେତେଗୁଡ଼ିଏ ବାଳକ ଗୋଟିଏ ପୋଖରୀକୂଳରେ ଆନନ୍ଦରେ ଖେଳୁଥିଲେ-। ସେଥିଭିତରୁ କେତେ ଜଣ ପାଣିକି ଟେକା ପକାଉଥିଲେ । ସେ ପୋଖରୀରେ ବହୁତ ବେଙ୍ଗ ଥିଲେ । ଟେକାଗୁଡ଼ାକ କେତେକ ବେଙ୍ଗ ଦେହରେ ବାଜିବାରୁ ସବୁ ବେଙ୍ଗଯାକ ଭୟରେ ଥରହର ହେଲେ । ସଭାଶେଷରେ ଗୋଟାଏ ବୁଢ଼ା ବେଙ୍ଗ ପାଣିଭିତରୁ ମୁଣ୍ଡ କାଢ଼ି କହିଲା, ହେ ପିଲାମାନେ, ଆମ ଉପରକୁ ଟେକା ପକାଅନାହିଁ । ବାଳକମାନେ କହିଲେ, ଆମେ ତ ଖେଳୁଚୁଁ, ତୁମକୁ କ’ଣ ମାରୁଚୁଁ ? ବୁଢ଼ା ବେଙ୍ଗ କହିଲା, ମୁଁ ତାହା ଜାଣେ ଯେ; ମାତ୍ର ତୁମର ଟେକାଗୁଡ଼ାକ ତ ଆମ ଦେହରେ ଆସି ବାଜୁଚି । ତୁମର ଯେ ଖେଳ, ଆମକୁ ସେ କାଳ ।

Image

 

ଗ୍ରାମ (୧)

 

ବରପଦା ନାମରେ ଗୋଟିଏ ଗ୍ରାମ ଅଛି । ସେହି ଗାଁରେ ମନୁ ବୋଲି ଗୋଟିଏ ପିଲାର ଜନ୍ମ ହୋଇଥିଲା । ମନୁ ଦୁଇବର୍ଷ ବୟସରୁ ବାପା ଓ ମା’ଙ୍କ ସଙ୍ଗରେ କଟକ ସହରକୁ ଆସିଥିଲା । କଟକରେ ଚାରିବର୍ଷ ରହିଲାପରେ ସେ ବାପା ଓ ମା’ଙ୍କ ସଙ୍ଗରେ ଗ୍ରାମକୁ ଫେରିଆସିଲା । ସହରରେ ସାନବଡ଼ କୋଠାଘରମାନ ଲଗାଲଗି ହୋଇ ଥାଏ । ଦିନଯାକ ଲୋକଗହଳି ଲାଗିଥାଏ-; ଗାଡ଼ି ଘୋଡ଼ାର ଶବ୍ଦ ଓ ଲୋକଙ୍କର ଚହଳ ଶୁଣାଯାଉଥାଏ । ମନୁ ଗ୍ରାମକୁ ଆସି ଦେଖିଲା ଯେ, ଗ୍ରାମରେ ପ୍ରାୟ ସବୁ ଚାଳଘର; ପୁଣି ସେଗୁଡ଼ିକ ଛଡ଼ା ଛଡ଼ା । ଗହଳଚହଳ କିଛି ନାହିଁ । ଚାରିଆଡ଼େ ମେଲା । ଗ୍ରାମ ତାକୁ ବଡ଼ ଭଲ ଲାଗିଲା । ତାକୁ ଖୁସି ହେବାର ଦେଖି ବାପା କହିଲେ, ତୁ ସହରରୁ ଗ୍ରାମକୁ ଆସିଅଛୁ । ଏଠାରେ ବିଲ, ତୋଟା, ପଡ଼ିଆ, ପଦ୍ମପୋଖରୀ ଏସବୁ ଦେଖିଲେ ତୁ ଆହୁରି ଖୁସି ହେବୁ । ମନୁ କହିଲା, ବାପା ମୋତେ ସେସବୁ ଦେଖାଇଦିଅ । ବାପା କହିଲେ, କାଲି ଦେଖାଇ ଦେବି ।

Image

 

ଗ୍ରାମ (୨)

 

ତହିଁ ଆରଦିନ ସକାଳେ ମନୁ ଓ ତାହାର ବଡ଼ ଭଉଣୀ ଉମା ବାପାଙ୍କ ସଙ୍ଗରେ ବୁଲି ବାହାରିଲେ । ବାପା କହିଲେ, ଚାଲ, ସୂର୍ଯ୍ୟ ଯେଉଁଆଡ଼େ ଉଇଁଆସୁଛି ସେହି ଆଡ଼କୁ ଯିବା । ସେହି ଆଡ଼ଟା ପୂର୍ବ ଦିଗ । ତୁମ୍ଭେମାନେ ପୂର୍ବ ଦିଗକୁ ଅନାଇଅଛ । ଏହିକ୍ଷଣି ତୁମର ଡ଼ାହାଣ ହାତ ଆଡ଼ଟା ଦକ୍ଷିଣ ଦିଗ, ବାଁ ହାତ ଆଡ଼ଟା ଉତ୍ତର ଦିଗ ଓ ତୁମ୍ଭର ପଛ ଆଡ଼ଟା ପଶ୍ଚିମ ଦିଗ । ଯାଉଁ ଯାଉଁ ସେମାନେ ଗୋଟାଏ ବଡ଼ ପଡ଼ିଆ ଦେଖିଲେ । ଆହୁରି ଦେଖିଲେ ଯେ ଗୋରୁ ପଲ ପଲ ହୋଇ ସେ ପଡ଼ିଆକୁ ଆସୁଛନ୍ତି । ଗୋରୁମାନଙ୍କ ସଙ୍ଗରେ ବାଛୁରୀ ମଧ୍ୟ ଚାଲିଛନ୍ତି । ମନୁ ପଚାରିଲା, ଏତେ ଗୋରୁ କାହିଁକି ଏଠାକୁ ଆସୁଅଛନ୍ତି ? ବାପା କହିଲେ, ପଡ଼ିଆରେ ଘାସ ଅଛି, ଗୋରୁ ବାଛୁରୀ ଏଠାରେ ଚରିବେ । ପଡ଼ିଆର ଡ଼ାହାଣ ଦିଗରେ କେତେଗୁଡ଼ାଏ ତାଳଗଛ ଦିଶୁଥିଲା । ମନୁ ପଚାରିଲା, ସେ ସବୁ କି ଗଛ ? ଉମା କହିଲା, ସେ ସବୁ ତାଳଗଛ । ଦେଖ, ପେଣ୍ଡା ପେଣ୍ଡା ହୋଇ ତାଳଫଳ ଫଳିଅଛି । ସେମାନେ ତାଳବଣିଆ ପାଖକୁ ଆସିଲେ । ବାପା ହାତ ବଢ଼େଇ କହିଲେ, ଏଇଟା ପଦ୍ମପୋଖରୀ । ମନୁ କହିଲା, କାହିଁ ପାଣି ତ ନାହିଁ ; ପୋଖରୀ କେମନ୍ତ ହେଲା ? ଖାଲି ବଡ଼ ବଡ଼ ପତ୍ର ଆଉ ଅନେକ ନାଲିଆ ଫୁଲ ଦିଶୁଅଛି । ବାପା କହିଲେ, ସେହି ଯେ ବଡ଼ ବଡ଼ ଗୋଲପତ୍ରର ବନ ମାଡ଼ି ଯାଇଅଛି ସେହି ପଦ୍ମବନ । ପଦ୍ମବନ ପୋଖରୀର ପାଣିକି ଘୋଡ଼ାଇ ପକାଇଅଛି । ଆହା, କି ସୁନ୍ଦର ପଦ୍ମଫୁଲ ଫୁଟିଅଛି । ଏହା କହି ସେ ଯୋଡ଼ିଏ ଫୁଲ ତୋଳିଆଣି ଗୋଟିଏ ଫୁଲ ମନୁକୁ, ଆଉ ଗୋଟିଏ ଉମାକୁ ଦେଲେ । ଉମା ଓ ମନୁ ଫୁଲ ପାଇ ବଡ଼ ଖୁସି ହୋଇ ତାହାକୁ ଦେଖି ଶୁଙ୍ଘିବାକୁ ଲାଗିଲେ । କିଛିକ୍ଷଣ ପରେ ଉମା କହିଲା, ମନୁ, ସେ ତାଳଗଛ ବାହୁଙ୍ଗାରେ କ’ଣ ଦୋହଲୁଛି କହିଲୁ ? ମନୁ କହିପାରିଲା ନାହିଁ । ଉମା କହିଲା, ସେଇଟା ବାୟାଚଢ଼େଇର ବସା । ଶୁଣିନାହୁଁ, ଆଈ ତୋତେ କୋଳରେ ଝୁଲାଇ ଝୁଲାଇ ଢଗ ବୋଲନ୍ତି, ବାୟାଚଢ଼େଇର କି ଯାଏ, ବା’ କଲେ ବସା ଦୋହଲୁଥାଏ । ବାପା କହିଲେ, ଦେଖ, ଏଠାରେ କେତେ ଚଢ଼େଇ ଯୋଡ଼ି ଯୋଡ଼ି ହୋଇ ବୁଲୁଛନ୍ତି ଓ କି ମଧୁର ସ୍ୱରରେ ଏକ ଆରେକକୁ ଡାକୁଛନ୍ତି । ଉମା କହିଲା, ମନୁ ଦେଖ, କଜଳପାତିଆ ଚଢ଼େଇ କଜଳପାତି ପରି ଦିଶୁଛି । ମନୁ କହିଲା, ଆହା, କି ସୁନ୍ଦର ହଳଦିଆ ଚଢ଼େଇଟିଏ ! ଉମା କହିଲା, ବାପା ସେଇଟି ହଳଦିବସନ୍ତ ନୁହେଁ ଭଲା ? ବାପା କହିଲେ, ହଁ, ଏ ଓଳି ଏତିକି ଥାଉ । ବେଶି ଖରା ହେଲାଣି, ଚାଲ ଘରକୁ ନେଉଟିଯିବା ।

Image

 

ଗ୍ରାମ (୩)

 

ଉପରଓଳି ଉମା ଓ ମନୁ ବାପାଙ୍କ ସଙ୍ଗରେ ପୁଣି ବୁଲି ବାହାରିଲେ । ବାପା କହିଲେ, ଚାଲ, ଯେଉଁଆଡ଼େ ସୂର୍ଯ୍ୟ ବୁଡ଼ିଯାଉଅଛି ସେହି ଆଡ଼କୁ ଯିବା । ସକାଳେ କହିଦେଇଥିଲି ସେଆଡ଼ଟା ପଶ୍ଚିମ ଦିଗ । ଏତେବେଳେ ତୁମେ ପଶ୍ଚମ ଆଡ଼କୁ ଅନାଇଅଛ । ପୂର୍ବ ଦିଗଆଡ଼କୁ ଅନାଇଲାବେଳେ ତୁମ୍ଭର ଡ଼ାହାଣ ଆଡ଼କୁ ଦକ୍ଷିଣ ଦିଗ ଓ ବାଁ ଆଡ଼କୁ ଉତ୍ତର ଦିଗ ଥିଲା । ଏହିକ୍ଷଣି ତୁମେ ପୂର୍ବ ଦିଗର ଓଲଟା ଆଡ଼କୁ ଅନାଇଅଛ । ସେଥିଲାଗି ତୁମର ଡାହାଣ ଆଡ଼କୁ ଉତ୍ତର ଦିଗ ଓ ବାଁ ଆଡ଼କୁ ଦକ୍ଷିଣ ଦିଗ ଅଛି । ଏବେ ଚାଲ ବଗିଚା ଦେଖି ଆସିବା । ସେମାନେ ବଗିଚା ଭିତରକୁ ଗଲେ । ବାପା କହିଲେ, ଏ ବଗିଚାରେ ଅନେକ ଫଳଗଛ ଅଛି । ଉମା କହିଲା, ଏଇଟା ପଣସ ଗଛ । ଏଥିରେ କେତେ ପଣସ ଫଳିଅଛି । ମନୁ କହିଲା, ସେଇଟା ଆମ୍ବ ଗଛ, ମୁଁ ଆମ୍ବ ଚିହ୍ନିଛି । ସେଥିରେ ଆମ୍ବ ଫଳିଛି । ଉମା କହିଲା, ଆହୁରି କେତେକ ଗଛ ଅଛି । ଗୁଆ, ନଡ଼ିଆ, ନାରଙ୍ଗ, ବରକୋଳି ଓ ବେଲ । ବାପା କହିଲେ, ସଞ୍ଜ ହେଲାଣି, ଚାଲ ଘରକୁ ନେଉଟିଯିବା ।

Image

 

ହାତୀ ଓ ବିଲୁଆ

Image

 

ଦିନେ ଜଙ୍ଗଲରେ ବିଲୁଆମାନେ ଗୋଟିଏ ହାତୀକୁ ଦେଖି ବିଚାର କଲେ ଯେବେ ଏ ହାତୀଟା ମରନ୍ତା, ତାହେଲେ ଏହାର ମାଂସ ଖାଇ ଆମ୍ଭର ଚାରି ମାସ ସୁଖରେ କଟିଯା’ନ୍ତା । ତାହା ଶୁଣି ଗୋଟିଏ ବୁଦ୍ଧିଆ ବିଲୁଆ କହିଲା, ମୁଁ ବିଚାରିଲେ ଏହାକୁ ଉପାୟ କରି ମାରିଦେବି । ଏହା କହି ସେ ହାତୀ ଆଗକୁ ଗଲା ଏବଂ ଦଣ୍ଡବତ ହୋଇ କହିଲା, ମହାରାଜ, ଆପଣଙ୍କୁ ଏ ବନସ୍ତରେ ରଜା କରିବାକୁ ବିଚାର କରି ସବୁ ଜନ୍ତୁଯାକ ମୋତେ ପଠାଇ ଅଛନ୍ତି । ଚଞ୍ଚଳ ଆସନ୍ତୁ; ନୋହିଲେ ଆଉ କିଏ ହୋଇଯିବ । ହାତୀ ଏହା ଶୁଣି ତରତର ହୋଇ ତାହା ପଛେ ପଛେ ଧାଇଁଲା । ବିଲୁଆ ଆଗେ ଆଗେ ବାଟ କଢ଼ାଇ ଯାଉଥାଏ । ହାତୀ ଯାଉଁ ଯାଉଁ ଗୋଟାଏ ପଙ୍କ ବାଟରେ ପଡ଼ିଗଲା । ସେ ଗହିଡ଼ା ପଙ୍କରୁ ଆଉ ଗୋଡ଼ କାଢ଼ି ଉଠି ପାରିଲା ନାହିଁ । ବିଲୁଆ ଆଗରେ ଚାଲିଯାଇ ସବୁ ବିଲୁଆଙ୍କୁ ଡାକି ଆଣିଲା । ସମସ୍ତେ ହାତୀକୁ ଏପରି କାଦୁଅରେ ଛଟପଟ ହେଉଥିବାର ଦେଖି ଖୁସି ହୋଇ ତାକୁ ବେଢ଼ିଗଲେ । କେତେକ ହାତୀକୁ ନ ଡରି ଉପରକୁ ଚଢ଼ିଗଲେ ଏବଂ ଜିଅନ୍ତା ତା ଦେହରୁ ଚମଡ଼ା ଉତାରି ମାଉଁସ ଖାଇବାକୁ ଲାଗିଲେ । ବିଲୁଆ ବଳୁଆ ନ ହେଲେ କ’ଣ ହେବ, ହାତୀଠାରୁ ବେଶି ବୁଦ୍ଧିଆ । ଏଥିପାଇଁ କହନ୍ତି କଳକୁ ବଳ ସରି ନୁହେଁ ।

Image

 

ଧାନକ୍ଷେତ

Image

କହ୍ନେଇ

-

ଆସ, ଧାନକ୍ଷେତ ଆଡ଼କୁ ଯିବା । ଧାନ ପାଚିଲାଣି । ଆଜିକାଲି ଧାନକ୍ଷେତ ଦେଖିବାକୁ କି ସୁନ୍ଦର ! ଧାନ କଟା ସରିଲେ କ୍ଷେତ ଆଉ ସୁନ୍ଦର ଦିଶିବ ନାହିଁ ।

 

 

 

ଦନେଇ

-

କ୍ଷେତରେ ଧାନ କିପରି ଫଳିଲା ?

 

 

 

କହ୍ନେଇ

-

ଆଗେ ଚଷାମାନେ ଜମିକୁ ଚାଷ କରନ୍ତି । ଲଙ୍ଗଳ ଧରି ବିଲକୁ କିପରି ଚଷନ୍ତି, ତୁ କ’ଣ ଦେଖିନାହୁଁ ?

 

 

 

ଦନେଇ

-

ହଁ ଦେଖିଛି, ଦୁଇଟା ବଳଦର କାନ୍ଧ ଉପରେ ଜୁଆଳି କାଠଖଣ୍ଡ ପଡ଼ିଥାଏ । ଜୁଆଳି ଦେହରେ ଲଙ୍ଗଳ କାଠ ବନ୍ଧା ହୋଇଥାଏ । ଜଣେ ମଣିଷ ଖଣ୍ଡେ ପାଞ୍ଚଣ ବାଡ଼ିରେ ବିଲ ଭିତରେ ବଳଦଙ୍କୁ ଅଡ଼ାଉଥାଏ ।

 

 

 

କହ୍ନେଇ

-

ଗୋଟିଏ କଥା କହିପାରିଲୁ ନାହିଁ । ଚଷାମାନେ ଲଙ୍ଗଳ କାଠ ଦେହରେ ଖଣ୍ଡ ଲୁହାଫାଳ ଲଗାଇଥାନ୍ତି । ବଳଦ ଚାଲିଲାବେଳକୁ ସେହି ଳୁହା ଭୂଇଁକୁ ଖୋଳିପକାଏ । ଏହିପରି ବିଲକୁ ଅନେକ ଥର ଚଷି ମାଟି ଉପରେ ମଇ ବୁଲାଇଲେ ମାଟି ସମାନ ହୋଇଯାଏ । ତହିଁ ଉତ୍ତାରେ ସେମାନେ ଲଙ୍ଗଳଦ୍ୱାରା ମାଟିରେ ସିଆର କାଟି ଦିଅନ୍ତି । ବର୍ଷା ଆରମ୍ଭରେ ଚଷା ଗଉଣୀରେ ଧାନ ପୂରାଇ ସେ ଗଉଣୀକୁ ଅଣ୍ଟାରେ ଥୋଇ ସିଆରମାନଙ୍କରେ ବିହନ ବୁଣିଯାନ୍ତି ।

 

 

 

ଦନେଇ

-

ବିହନ କଅଣ ?

 

 

 

କହ୍ନେଇ

-

କ୍ଷେତରେ ଯେଉଁ ବୁଣାଯାଏ ତାକୁ ବିହନ କହନ୍ତି । ବର୍ଷାପାଣି ପାଇ ବିହନ ଗଜା ହୋଇ ବଢ଼ିଯାଏ । ହାତେ ହାତେ ବଢ଼ିଗଲେ ବିଲରୁ ଅନାବନା ଘାସସବୁ ଉପାଡ଼ିଦିଅନ୍ତି । ତହିଁ ଉତ୍ତାରେ ହଳ କରି ମଇ ଦେଇ ଘାସ ବାଛିଦେଲେ ଧାନର ବେଉଷଣ ହେଲା । ବେଉଷଣ ହୋଇଗଲେ ଧାନଗଛରୁ ଧାନ ବାହାରେ । ଦେଖ, ଗୋଟିଏ ଗଛରୁ କେତେ ଧାନକେଣ୍ଡା ପାହାରିଛି । ଧାନ ପାଚିଗଲେ, ଚଷାମାନେ ଦାଆରେ ଧାନ କାଟି ବିଡ଼ା ବିଡ଼ା ବାନ୍ଧି ଗୋଟିଏ ନିର୍ମଳ ସ୍ଥାନକୁ ନେଇଯାନ୍ତି । ସେ ସ୍ଥାନକୁ ଖଳା କହନ୍ତି । ଖଳାରେ ଚାରି-ପାଞ୍ଚଟା ବଳଦକୁ ଦାଉଣିରେ ଏକତ୍ର ବାନ୍ଧି ଧାନହଳା ଫିଟାଇ ଦେଇ ତା ଉପରେ ବେଙ୍ଗଳା ବୁଲାଇ ଧାନ ଅମଳ କରନ୍ତି ।

Image

 

ମୂଷା, ବେଙ୍ଗ ଓ ଛଞ୍ଚାଣ କଥା

 

Image

 

ପୋଖରୀକୂଳରେ ଗୋଟିଏ ଗାତ ଭିତରେ ମୂଷାଟିଏ ଥାଏ । ଦିନେ କି ଯୋଗରେ ଗୋଟିଏ ବେଙ୍ଗ ସାଙ୍ଗରେ ତାହାର ପରିଚୟ ହେଲା । ବେଙ୍ଗ ତାକୁ ସାଥୀ ପାଇ ଏକାଠି ରହିବା ଓ ଏକା ସାଙ୍ଗରେ ବୁଲିବା ପାଇଁ ଦୁହିଁଙ୍କ ଗୋଡ଼କୁ ଗୋଟିଏ ସୂତାରେ କିଛିଦୂର ଛଡ଼ାରେ ବାନ୍ଧିଦେଇଥିଲା । ଆଗେ ମୂଷା ଗାତରୁ ବାହାରି ଭୂମି ଉପରକୁ ଚରିବାକୁ ଗଲା । ବେଙ୍ଗ ଟାଣିହୋଇ ସଙ୍ଗରେ ଯାଉଥାଏ ଏବଂ ଯାହା ପାଉଥାଏ ଖାଉଥାଏ । କିଛିକ୍ଷଣ ପରେ କୂଳକୁ ଆସି ବେଙ୍ଗ ପାଣିରେ ପଶିଲା । ମୂଷା ସେ ସୂତାରେ ଟାଣିହୋଇ ପାଣିରେ ପଡ଼ିଲା । ସେ ତ ମାଟିରେ ରହିବା ଜୀବ; ପଣିରେ ବୁଡ଼ିଯାଇ ମରିଗଲା । ବେଙ୍ଗ ସେହି ମଲା ମୂଷାକୁ ଘେନି ସେହିପରି ବୁଲୁଥାଏ । ମୂଷାଟି ଫୁଲିଯାଇ ଉପରକୁ ଦିଶୁଥିଲା । ଏହି ସମୟରେ ଗୋଟିଏ ଛଞ୍ଚାଣ ତାକୁ ଦେଖି ହଠାତ୍‌ ଚିଲାମାରି ନଖରେ ଧରି ଉପରକୁ ଉଠିଲା । ତାହା ସଙ୍ଗେ ସଙ୍ଗେ ସୂତାରେ ଝୁଲୁଥିବା ବେଙ୍ଗଟି ମଧ୍ୟ ତଳ ଆଡ଼କୁ ପାକୁ ପାକୁ କରି ଶୂନ୍ୟରେ ଛଟପଟ ହେଲା-। ଛଞ୍ଚାଣ ଗଛ ଡାଳରେ ବସି ସେହି ମଲା ଜିଅନ୍ତା ଦୁହିଁଙ୍କୁ ଖାଇଗଲା ।

 

ଏଥିରୁ ଜଣାଗଲା, ଯେ ପରର ମନ୍ଦ ପାଞ୍ଚିଥାଏ ତାହାର ଅବଶ୍ୟ ଦିନେ ମନ୍ଦଫଳ ହେବ-

Image

 

ବରଗଛ

Image

 

ବରଗଛ ଖୁବ୍‌ ବଡ଼ ଗଛ ଅଟେ । ଏହାର ଡାଳମାନ ବହୁତ ଦୂର ଚାଲିଯାଏ । ଏପରି ଅନେକ ବଡ଼ ବରଗଛ ଅଛି; ଯାହା ତଳରେ କେତେ ବାଟୋଇ ଖରାବେଳେ ଓ ରାତ୍ରିକାଳରେ ଆଶ୍ରା ନେଇ ରହନ୍ତି । ବରଗଛର ଡାଳମାନଙ୍କରୁ ଅନେକ ସିଅ ବାହାରି ତଳକୁ ତଳକୁ ଓହ୍ଲାଇଆସି ଶେଷରେ ମାଟିକୁ ଭେଦି ସେଥିରେ ପଶିଯାଏ । ସେହି ସିଅମାନଙ୍କୁ ଓହଳ ବୋଲାଯାଏ । ବରଗଛ ବଡ଼ ଚାନ୍ଦୁଆପରି ଓ ତାହାର ଓହଳଗୁଡ଼ିକ ଖମ୍ବ ପରି ଦିଶେ । ଏ ଗଛ କେତେ ପ୍ରାଣୀର କେତେ ଉପକାର କରେ । ଖରାବେଳେ ଏହାର ଛାୟାରେ ବସିଲେ ଆମ୍ଭମାନଙ୍କର ଦେହ ଶୀତଳ ହୋଇଯାଏ । ଶତ ଶତ ପକ୍ଷୀ ଏହାର ଡାଳରେ ବସି ଏହାର ସୁନ୍ଦର ନାଲିଆ ଫଳ ଖାଇ ମିଷ୍ଟ ସ୍ୱରରେ ଗାନ କରନ୍ତି । ଗୋରୁ, ମହିଷ ପ୍ରଭୃତି କେତେ ଜନ୍ତୁ ଏହାର ଛାୟାରେ ଶୋଇ ପାକୁଳି କରନ୍ତି ।

ଚାଲ ବୁଲିଯିବା ନଦୀର ତଟ,

 

ଅଛି ଯହିଁ ବଡ଼ ପୁରୁଣା ବଟ

ତରୁ ମଧ୍ୟେ ରାଜା ଅଟଇ ବର,

 

ପତ୍ର-ଛତ୍ର ତା’ର କେଡ଼େ ସୁନ୍ଦର

ଛାୟା ତା’ର ଆହା କି ସୁଶୀତଳ,

 

କି ସୁନ୍ଦର ଦିଶେ ତାହାର ଫଳ

ବଡ଼ ଖରା ଏବେ ବୈଶାଖ ମାସ,

 

ବଟ ତରୁତଳେ ବସିବା ଆସ

Image

 

ଗୋରୁ

Image

 

ଗୋରୁ ବଡ଼ ଉପକାରୀ ଜନ୍ତୁ । ମନୁଷ୍ୟମାନେ ମାଈଗୋରୁ ବା ଗାଈର ଦୁଧ ପିଅନ୍ତି । ସେଥିପାଇଁ ଗାଈକୁ ଗୋ-ମାତା କହନ୍ତି । ଗାଈର ଦୁଧରୁ ଦହି, ଛେନା, ଲହୁଣି, ଘିଅ ହୁଏ ।

 

ଗୋରୁର ଗୋବର ଅନେକ କାମରେ ଲାଗେ । ମାଟି, ଗୋବର, ପାଣି ମିଶାଇ ସେଥିରେ ଘରତଳ ଓ କାନ୍ଥ ଲିପାଗଲେ ଘର ନିର୍ମଳ ଓ ସୁନ୍ଦର ଦିଶେ । ଲୋକେ ଗୋବରକୁ ଘଷି କିମ୍ବା ଗୁଣ୍ଡା କରି ଖରାରେ ଶୁଖାଇ ଜାଳ କରନ୍ତି । ଗୋବରକୁ ଖତ କରି କ୍ଷେତରେ ଦେଲେ ମାଟିର ବଳ ବଢ଼େ ଓ ଭଲ ଶସ୍ୟ ହୁଏ ।

 

ଅଣ୍ଡିରା ଗୋରୁକୁ ଷଣ୍ଢ କହନ୍ତି । ଯେଉଁ ଅଣ୍ଡିରା ଗୋରୁ ପିଲାବେଳେ ଧରାଯାଇଥାଏ, ତାହାକୁ ବଳଦ କହନ୍ତି । ଏ ଦେଶରେ ଲୋକେ ବଳଦଦ୍ୱାରା ଭୂମି ଚଷନ୍ତି ଓ ବଳଦକୁ ଶଗଡ଼ରେ ଯୋଚି ଭାରୀ ଦ୍ରବ୍ୟମାନ ବୋହି ନିଅନ୍ତି । ଗାଈର ଛୁଆକୁ ବାଛୁରୀ କହନ୍ତି ।

 

ଶୌରି ଓ ଗୌରୀ ଭାଇ ଭଉଣୀ । ଦୁହେଁଯାକ ତାଙ୍କ ଘରର ଗାଈ-ବାଛୁରୀଙ୍କ ବଡ଼ ଯତ୍ନ କରନ୍ତି । ସେମାନେ କଅଁଳ ଘାସ ଆଣି ଗାଈ-ବାଛୁରୀଙ୍କି ଖୁଆନ୍ତି ଓ ଆଉଁସି ଦିଅନ୍ତି । ଆଉଁସି ଦେଲାବେଳେ ଗାଈ ବାଛୁରୀ ବେକ ଦେଖାଇ ଦିଅନ୍ତି । ଯେଉଁ ବାଳକ ବାଳିକାମାନେ ଗାଈ, ବାଛୁରୀ ଓ ଅନ୍ୟ ପୋଷା ଜନ୍ତୁକୁ ଆଦର କରନ୍ତି, ସେମାନେ ଭଲ ପିଲା ।

Image

 

ହାଟ

Image

 

ଅନେକ ଗ୍ରାମରେ ହାଟ ବସେ । ଲୋକେ ଧାନ, ଚାଉଳ, ଲୁଗା, ପରିବା, ପାନ, ଗୁଆ, ମସଲା ଆଦି ନାନା ଦ୍ରବ୍ୟ ବିକିବା ଓ କିଣିବା ପାଇଁ ସେଠାକୁ ଆସନ୍ତି । ସପ୍ତାହ ମଧ୍ୟରେ ଦୁଇ କିମ୍ବା ତିନି ଦିନ ହାଟ ବସେ । ସକାଳ ପହରକ ବେଳୁଁ ରାତି ଦୁଇଘଡ଼ି ଯାଏ ହାଟରେ ବିକାକିଣା ଲାଗିଥାଏ ।

 

ବାସୁଦେବ କହିଲା, ବାପା, ମୋତେ ଦିନେ କହିଥିଲ ହାଟ ଦେଖାଇଦେବ । ଆଜି ରବିବାର ହାଟପାଳି, ଆଜି ମୋତେ ହାଟକୁ ନେଇ ଚାଲ । ବାପା କହିଲେ, ହଉ ଚାଲ, ଆଜି ତୋତେ ହାଟ ଦେଖାଇ ଆଣିବି । ଏହା କହି ବଳରାମ ମହାପାତ୍ର ତାଙ୍କ ପୁତ୍ର ବାସୁଦେବକୁ ସଙ୍ଗରେ ଘେନି ହାଟକୁ ଗଲେ । ବାଟରେ କେତେ ଲୋକ ଯାଉଥାନ୍ତି । ହାଟ ନିକଟ ହେଲାରୁ ଘୋ ଘୋ ଶବ୍ଦ ଶୁଭିଲା । ବାସୁଦେବ ପଚାରିଲା, ବାପା, ଏପରି ଘୋ ଘୋ ଶବ୍ଦ କାହିଁକି ହଉଚି ? ବାପା କହିଲେ, ହାଟରେ ବହୁତ ଲୋକ ରୁଣ୍ଡ ହୋଇ ଏକସମୟରେ କଥା କହୁଛନ୍ତି ବୋଲି ଏପରି ଚହଳ ଶୁଭୁଚି ।

 

ବାପ ପୁଅ ଦୁହେଁ ହାଟରେ ପହୁଞ୍ଚିଲେ । ବାସୁଦେବ ସ୍ଥାନେ ସ୍ଥାନେ ବାଇଗଣ, କଦଳୀ, ଆଳୁ, କାକୁଡ଼ି, କଖାରୁ କନ୍ଦମୂଳ ଗଦା ଗଦା ଥୁଆ ହୋଇଥିବାର ଦେଖି ପଚାରିଲା, ଆଜି କ’ଣ ସବୁ ପରିବାଯାକ ବିକା ହୋଇ ପାରିବ ? ବାପା କହିଲେ, କେତେ ଲୋକ କିଣିବା ପାଇଁ ଆସିଛନ୍ତି-। ଆହୁରି ଆସିବେ । ସନ୍ଧ୍ୟାବେଳକୁ ସବୁ ସରିଯିବ ।
 

ଲୁଗା ଦୋକାନ ଦେଖି ବାସୁଦେବ କହିଲା, ମୋତେ କସ୍ତାଯୋଡ଼ କିଣିଦିଅ । ମହାପାତ୍ରେ କାପେଡ଼ିଆ ସଙ୍ଗେ ଭାଉ କରି ଦେଢ଼ଟଙ୍କା ଦେଇ କସ୍ତାଯୋଡ଼ କିଣିଲେ ଏବଂ ବାସୁଦେବ ଜଳପାନ କରିବ ବୋଲି ଛାଚିଖଇ ଓ ଭଲ କୋରା କିଣିଦେଲେ । ବାସୁଦେବ ଭାରି ଖୁସି ହୋଇ ବାପାଙ୍କ ସଙ୍ଗରେ ସଞ୍ଜବେଳେ ଘରକୁ ନେଉଟିଆସିଲା ।

Image

 

ମିଛୁଆକୁ କେହି ବିଶ୍ୱାସ କରନ୍ତି ନାହିଁ

 

Image

 

ଗୋବିନ୍ଦ ନାମରେ ଜଣେ ଗଉଡ଼ ପିଲା କୌଣସି ବନ ନିକଟରେ ଗୋରୁ ଚରାଉଥିଲା-। ଦିନେ ସେ ରଙ୍ଗ ଦେଖିବା ପାଇଁ ମିଛରେ ପାଟିକରି ଡାକ ପକାଇଲା– କିଏ ଅଛ, ଧାଇଁପଡ଼ ହୋ, ଧାଇଁପଡ଼ ହୋ, ମୋ ଗୋଠରେ ଗୋଟାଏ ବାଘ ପଶି ଗୋରୁଗୁଡ଼ାକ ମାରିପକାଉଚି । ପାଖରେ ଚଷାସବୁ ହଳ କରୁଥିଲେ । ସେମାନେ ତାହାର ରଡ଼ି ଶୁଣି ଦୌଡ଼ିଆସିଲେ । ଆସି ଦେଖିଲେ ଯେ ବାଘ ନାହିଁ, ଗୋବିନ୍ଦ ଠୋ ଠୋ ହସୁଚି । ତହୁଁ ସମସ୍ତେ ଗୋବିନ୍ଦର ଭଣ୍ଡପଣିଆ ବୁଝିପାରି ତାହାକୁ ଗାଳି ଦେଇ ଚାଲିଗଲେ ।

 

ଆଉଦିନେ ସତକୁ ସତ ବାଘ ଆସି ଗୋବିନ୍ଦର ଗୋଠରେ ପଶିଲା । ବାଘ, ବାଘ, କିଏ ଅଛ ହୋ, ଧାଇଁ ଆସ ହୋ, ବୋଲି ସେ ଡାକ ପକାଇଲା; ମାତ୍ର ସମସ୍ତେ ତାହାର ଡାକ ଶୁଣି ସୁଦ୍ଧା ନ ଶୁଣିଲା ପରି ରହିଲେ । ସମସ୍ତେ କହିଲେ, ସେ ମିଛରେ ଡାକୁଚି । ପଛେ ଦେଖାଗଲା, ବାଘ ଦୁଇ ତିନିଟା ଗୋରୁ ଆଉ ଗୋବିନ୍ଦକୁ ମାରିପକାଇ ଚାଲିଯାଇଛି ।

Image

 

ତିନୋଟି ବାଳକ

Image

 

ଜୟପୁର ଗ୍ରାମର ତିନୋଟି ବାଳକ ମୌଦା ଗ୍ରାମର ସ୍କୁଲରେ ପଢ଼ୁଥିଲେ । ଜୟପୁର ମୌଦାଠାରୁ ଚାରି ପାଞ୍ଚ କୋଶ ଦୂର । ସେଥିପାଇଁ ସେହି ବାଳକମାନେ ସ୍କୁଲର ଛାତ୍ରାବାସରେ ବସା କରି ରହିଥିଲେ । ସେହି ବାଳକମାନଙ୍କର ନାମ ମାଧବ, ଗୋବିନ୍ଦ ଓ ଦୀନବନ୍ଧୁ । ଦିନେ ମାଧବ-ମା’ ତା ପାଇଁ କେତେଗୁଡ଼ିଏ ମଣ୍ଡାପିଠା ପଠାଇ ଦେଇଥିଲେ । ମାଧବ ତାହା ପାଇ ଲୋଭରେ ଗୋଟିଏ ଗୋଟିଏ କରି ଅଧଘଣ୍ଟା ମଧ୍ୟରେ ସବୁ ପିଠାଯାକ ଖାଇପକାଇଲା; କିନ୍ତୁ ଅଳ୍ପକ୍ଷଣ ପରେ ତା ଦେହ ଅସୁସ୍ଥ ହୋଇପଡ଼ିଲା । ପେଟ ଟାଣିଲା, ବାନ୍ତି ହେଲା ଓ କେତେଥର ଯାଏ ଝାଡ଼ାହେଲା । ତାହା ଦେଖି ଶିକ୍ଷକ ମହାଶୟ ବୈଦ୍ୟକୁ ଡକାଇ ଆଣିଲେ । ବୈଦ୍ୟକୁ ତିନି ଚାରି ଦିନଯାଏ ଔଷଧ ଦେବାରୁ ମାଧବର ଦେହ ସୁସ୍ଥ ହେଲା ।

 

ଆଉ ଦିନେ ଗୋବିନ୍ଦର ମା’ ମଧ୍ୟ ତା ପାଇଁ କେତେ ଗୁଡ଼ିଏ କାକରାପିଠା ପଠାଇଦେଲେ । ଗୋବିନ୍ଦ ବଡ଼ ସାବଧାନ। ସେ ମାଧବର ପୀଡ଼ା କଥା ଜାଣିଥିଲା । ସେଥିପାଇଁ ସେ ପିଠାଗୁଡ଼ିକ ଏକାବେଳକେ ନ ଖାଇ ସେଗୁଡ଼ିକ ପେଡ଼ିରେ ବନ୍ଦ କରି ରଖି ପ୍ରତିଦିନ ଗୋଟାଏ ଲେଖାଏଁ ଖାଇଲା । ସେହିପରି ପାଞ୍ଚ ଛଅ ଦିନ ଗଲା । ତହିଁ ଉତ୍ତାରେ ବାକି ପିଠାଗୁଡ଼ିକ ଗନ୍ଧେଇଯିବାରୁ ଗୋବିନ୍ଦ ଆଉ କ’ଣ କରିବ, ସେଗୁଡ଼ିକ ଫୋପାଡ଼ି ଦେଲା ।

 

ଆଉ ଦିନେ ଦିନବନ୍ଧୁର ମା’ ତା ପାଇଁ କେତେଗୁଡ଼ିଏ ଆରିଷାପିଠା ପଠାଇଦେଲେ । ଦୀନବନ୍ଧୁ ସଙ୍ଗୀ ବାଳକମାନଙ୍କୁ ଆଦରରେ ଡାକି ଅଧେ ପିଠା ସେମାନଙ୍କୁ ଖୁଆଇଲେ, ନିଜେ ମଧ୍ୟ ଖାଇଲେ । ବାକି ପିଠା ରଖିଦେଲା । କିଛିକ୍ଷଣ ପରେ ଗୋଟିଏ ବୁଢ଼ା ଅନ୍ଧ ଛାତ୍ରାବାସର ଦ୍ୱାରକୁ ଆସି ଗୀତ ଗାଇଲା । ବାଳକମାନେ ଘର ଭିତରୁ ଆସି ତାହାର ଗୀତ ଶୁଣିବାକୁ ଲାଗିଲେ । ଦୀନବନ୍ଧୁ ଦେଖିଲା, ଅନ୍ଧ ଲୋକଟି ଗୀତ ଗାଉଅଛି । ଏଣେ ପୁଣି ତା ଆଖିରୁ ଲୁହ ବୋହିଯାଉଛି । ଦୀନବନ୍ଧୁ ଅନ୍ଧକୁ ପଚାରିଲା, ତୁମେ କାହିଁକି କାନ୍ଦୁଚ ? ଅନ୍ଧ କହିଲା, ମୋର କେହି ନାହିଁ, ମୋର ଭେଣ୍ଡା ପୋଷିଲା ପୁଅ ଦୁଇମାସ ହେଲା ମରିଯାଇଅଛି, ମୁଁ ଦ୍ୱାର ଦ୍ୱାର ଭିକ ମାଗି ବୁଲୁଚି । କାଲିଠାରୁ କିଛି ଖାଇନାହିଁ । ଦୀନବନ୍ଧୁ ସେହିକ୍ଷଣି ଘର ଭିତରକୁ ଚାଲିଯାଇ ବାକି ପିଠାତକ ଆଣି ଅନ୍ଧକୁ ଦେଲା । ମହାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ ବୋଲି କହି ଅନ୍ଧ ଆନନ୍ଦରେ ପିଠାଗୁଡ଼ିକ ଖାଇଲା-। ଦୀନବଦ୍ଧୁ ମଧ୍ୟ ବଡ଼ ଖୁସି ହେଲା । ସେ ଯେବେ ଆପେ ଖାଇଥାନ୍ତା, ତାହାର ଏତେ ଆନନ୍ଦ ହୁଅନ୍ତା ନାହିଁ ।

Image

 

ବେଙ୍ଗରଜା

 

Image

 

ଏବେ ହେଲା ଘୋର ବରଷା

ଗରଜିଲେ ସଘନେ

ବିଜୁଳି ଚମକ ଦେଖାଇ

ଜଳଧରେ ଗଗନେ ।

ମୂଷଳ ଧାରାରେ ଆକାଶୁ

ଖସି ପଡ଼ଇ ଜଳ

କ୍ଷଣକେ ମହୀରେ ଉଛୁଳି–

ପଡ଼େ ସ୍ରୋତ ପ୍ରବଳ ।

ବୁଡ଼ିଲେ ରଡ଼ିଲେ ପ୍ରଜାଏ

ଦେଖି ବେଙ୍ଗରାଜନ

ଗଛମୂଳ ଗାଦି ଉପରେ

ଉଭା ହୋଇ ବହନ ।

କଚୁପତ୍ର-ଛତ୍ର ତଳରେ

ରହି ସୁଖେ ତତ୍‌କ୍ଷଣେ

ଚଙ୍ଗଚଙ୍ଗ ବେଙ୍ଗ ପ୍ରଜାଙ୍କୁ

ଦମ୍ଭ ଦେଲା ଏସନେ ।

ଶୁଣ ଶୁଣ ମୋର ପ୍ରଜାଏ

ଡର କିବା ତୁମ୍ଭର

ଛାର ଇନ୍ଦ୍ର ପରା ଦେଖାଏ

ଗର୍ବ ଆମ୍ଭ ପାଶର ।

ଏକସ୍ୱରେ ଡାକ ଛାଡ଼ ରେ

ପଶୁ ଆକାଶେ ଯାଇ

ସବୁ ଦେବତାଏ ଜାଣନ୍ତୁ

ଇନ୍ଦ୍ରର ଏ ବଢ଼ାଇ ।

ସୃଷ୍ଟିକି କଲେ ଯେ ବିଧାତା

ନିଶ୍ଚେ ପ୍ରତିବିଧାନ

କରିବେ ଏହାର, ଶୁଣିଲେ

ତୁମ୍ଭ ଡାକକୁ ଜାଣ ।

ତୁହାଇ ତୁହାଇ ଡାକ ରେ

କାନ ହେଉ ବହିଡ଼ା

ଏ ଗର୍ବୀ ମାନବେ ଦେଖନ୍ତି

ପରା ହୋଇଣ ଛିଡ଼ା ।

ରଡ଼ୁ ରଡ଼ୁ ଛିଡ଼ିପଡ଼ିଲା

ଚାହୁଁ ବରଷା ଖରେ

ଶ୍ରବଣ ବଧିର ହୋଇଲା

ତାଙ୍କ ଡାକ ନ ସରେ ।

Image

 

ଆଶ୍ଚର୍ଯ୍ୟ ଖଜୁରିଗଛ

Image

 

କେତେକ ବର୍ଷ ପୂର୍ବରେ ମାନ୍ଦ୍ରାଜ ଅଞ୍ଚଳରେ ନେଲୋର ଜିଲ୍ଲାରେ ଗୋଟିଏ ଆଶ୍ଚର୍ଯ୍ୟ ଖଜୁରିଗଛ ଥିବାର ଖବରକାଗଜରୁ ଶୁଣାଯାଇଥିଲା । ସେ ଗଛଟି ଦିନବେଳେ ଶୋଇଥାଏ ଏବଂ ରାତି ହେଲେ ଉଠି ଠିଆହୁଏ । ଏ କଥା ସତ କି ମିଛ ବୁଝିବାପାଇଁ ସେ ଅଞ୍ଚଳର କେତେଜଣ ବଡ଼ଲୋକ ଉପରବେଳା ସେ ଗଛ ପାଖକୁ ଯାଇ ଦେଖିଲେ ଗଛଟି ସେତେବେଳେ ନଇଁପଡ଼ିଛି ଏବଂ ଭୂମିରୁ ୭-୮ ହାତ ଉପରକୁ ଉଠିଛି । ତାହାର ବାହୁଙ୍ଗା ତେତେବେଳେ ତଳକୁ ଲାଗିଥିଲା । ଜଣେ ଭଦ୍ରବ୍ୟକ୍ତି ସେଥିରେ ଖଣ୍ଡିଏ ରୁମାଲ ବାନ୍ଧିଦେଇ ଗଲେ । ପାଞ୍ଚ ଛଅ ଘଣ୍ଟା ପରେ ରାତିକି ଆସି ଦେଖିଲେ ଯେ, ସେ ଗଛଟି ବହୁତ ଉପରକୁ ଉଠିଯାଇଛି ଏବଂ ରୁମାଲ ଖଣ୍ଡ ୧୨ ହାତ ଉପରେ ଅଛି । ରାତି ଯେତିକି ବେଶି ହେଉଥାଏ, ଗଛ ତେତିକି ସଳଖ ହେଉଥାଏ । ଶେଷ ରାତିକୁ ପୁଣି ଗଛ ତଳଆଡ଼କୁ ନଇଁବାକୁ ଲାଗିଲା । ଏପରି ଆଶ୍ଚର୍ଯ୍ୟ ଘଟନା ଦେଖି ସେ ଅଞ୍ଚଳର ମୂର୍ଖ ଲୋକେ ସେ ଗଛରେ କୌଣସି ଦେବତା ଅଛନ୍ତି ବୋଲି ବିଶ୍ୱାସ କରି ପୂଜା କରୁଥିଲେ ।

 

ଆମ୍ଭମାନଙ୍କ ପରି ବୃକ୍ଷର ମଧ୍ୟ ନିଦ୍ରା ଅଛି । ତୁମ୍ଭେମାନେ ଦେଖିଥିବ, ଦିନ ଶେଷରେ ଅଗସ୍ତି ତେନ୍ତୁଳି ଆଦି ବୃକ୍ଷର ପତ୍ର ମୁଦିହୋଇଯାଏ । ତେତେବେଳେ ସେ ଶୋଇଥାନ୍ତି । ଗଛକୁ ମଧ୍ୟ ଖରା କାଟେ; ଡାଳ ହାଣିପକାଇଲେ ବାଧିଯାଏ । ଆଉ କେତେ କେତେ ଲକ୍ଷଣ ଅଛି, ତୁମ୍ଭେ ବଢ଼ିଗଲେ ଅଳ୍ପେ ଅଳ୍ପେ ସେସବୁ କଥା ଜାଣିପାରିବ ।

Image

 

ଚାଟଶାଳୀ ମେଲାଣି

 

ଦିନ ରତରତ ଉଭା ହୋଇ ଗୁରୁ

କହନ୍ତି ମଧୁର ବାଣୀ,

ପୋଥିପତ୍ର ରଖି ଉଭା ହୁଅ ଚାଟେ

ଗାଅ ଗାଅ ହେ ମେଲାଣି ।

ଗୁରୁ ଆଜ୍ଞା ପାଇ ବାଳକବାଳିକା

ବାନ୍ଧି ପୋଥିପତ୍ର ବିଡ଼ା,

ମେଲାଣି ପାଇବା ପାଇଁ ଚାଟମାନେ

ଯେଝା ସ୍ଥାନେ ହେଲେ ଛିଡ଼ା ।

ନିଜେ ଅବଧାନେ କର ଯୋଡ଼ି ଠିଆ-

ହେଲେ ଯହୁଁ ଭକ୍ତିଭରେ

କର ଯୋଡ଼ି ତହୁଁ ଗାଇଲେ ସକଳେ

ଏହି ଗୀତ ଆନନ୍ଦରେ ।

Image

 

ଗୀତ

 

ଧନ୍ୟ ଧନ୍ୟ ମହାପ୍ରଭୁ ତୁମ୍ଭରି କୃପାରେ

 

ଆନନ୍ଦେ ରହିଲୁ ଆଜି ତୁମ୍ଭରି ସଂସାରେ

ତୁମ୍ଭରି କୃପାରେ ପାଇଅଛୁଁ ପିତା ମାତା

 

ପାଇଛୁଁ କୃପାରେ ତବ ଗୁରୁ ଜ୍ଞାନଦାତା

ଭାଇ ଭଗ୍ନୀ ଦେଇଅଛ ହେ ପରମେଶ୍ୱର

 

ଗଢ଼ିଅଛ ଏ ଆକାଶ ପୃଥିବୀ ସାଗର

ସୂର୍ଯ୍ୟ ଚନ୍ଦ୍ର ତାରା ମେଘ ଅନଳ ପବନ

 

ପଶୁ ପକ୍ଷୀ ମୀନ ଆଦି ଯେତେ ଜୀବଗଣ

ତରୁ ଲତା ପୁଷ୍ପ ଫଳ ଗିରି ନଦୀ ବନ

 

ସବୁ କରିଅଛ ତୁମ୍ଭେ ହେ ଆଦିକାରଣ

ତୁମ୍ଭର କରୁଣା ପ୍ରଭୁ ଅଟଇ ଅପାର

 

କରଯୋଡ଼ି କରୁଅଛୁଁ କୋଟି ନମସ୍କାର

ଦିଅ ଜ୍ଞାନ ଦିଅ ପୁଣ୍ୟ ଦିଅ ହେ ସୁମତି

 

ଜୟ ଜୟ ଜୟ ପ୍ରଭୁ ହେ ଜଗତପତି

Image